Unknown

 

 

 

 

 

 

 

 

 

କ୍ଷମାସାଗର ଶ୍ରୀଗୁରୁ

ଭକ୍ତ ଜୟକୃଷ୍ଣ

 

(କବିଙ୍କର ଏହା ଏକ କ୍ଷୁଦ୍ର ଚଉତିଶା - ଓଲଟ ରୀତିରେ ରଚିତ । ‘କ୍ଷ’ ଆଦ୍ୟ । ଅକ୍ଷର କ୍ରମରେ ଆରମ୍ଭ ହୋଇ ‘କ’ ଆଦ୍ୟ ଅକ୍ଷର କ୍ରମରେ ଶେଷ ହୋଇଛି । ପାପ, ଅଧର୍ମ, ଅନୀତିରେ ପରିପୂର୍ଣ୍ଣ ଏ ଜଗତ । ମନୁଷ୍ୟ ଏଇଠି ଅଣନିଶ୍ୱାସୀ ହୋଇପଡୁଛି । ଦୀନବନ୍ଧୁ, ପରମେଶ୍ଵର ହି ମନୁଷ୍ୟର ଭରସା । ଭକ୍ତର ଡାକ ଶୁଣିବା ପାଇଁ ଜଗତକରତା ହରି ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି । ବ୍ରହ୍ମାଣ୍ଡର ଭାରାକୁ ଉଶ୍ୱାସ କରିବାକୁ ଆଶ୍ୱାସନା ଦେଇଛନ୍ତି । କବିଙ୍କ ଆଧ୍ୟାତ୍ମିକ ଭାବନା, ଠାକୁରଙ୍କ ମହିମା ଚଉତିଶାଟିରେ ଫୁଟି ଉଠିଛି ।)

 

କ୍ଷମାସାଗର ଶ୍ରୀଗୁରୁ କହୁଛନ୍ତି ମନରେ ନ କରି କିଛି ଚିନ୍ତା ।

ହରିବି ଏଥର ବ୍ରହ୍ମାଣ୍ଡର ଭାର ଖିଆଲ ନ କର ଜ୍ଞାନ କଥା ।

ସତ୍ୟ କଥାକୁ ଯେ ।

ସହଜେ ବିକୃତି ବିଚାରିଲେ ।

ସାହସରେ କେହୁ ନିଆଁ ଗିଳିକରି, ବର୍ତ୍ତିପାରିବ କି ରବି ତଳେ ।୧।

ସର୍ବ ସମାନରେ ସଂସାର ଭିତରେ, ନିଷ୍କାମ ଧର୍ମକୁ ସ୍ଥାପି ଦେଲି ।

ବଡ଼ ସାନ କେହି କାହାକୁ ନ ମାନି, ସର୍ବେ ଯାଉଛନ୍ତି ଏଥୁବଳି ।

ଲଘୁ ହୋଇବେ ଯେ ।

ଯେଉଁମାନେ ଧର୍ମ ନ ମାନିବେ ।

ରବି ତଳେ ତାଙ୍କ ମହତ୍ୱ ସରିବ, ଲକ୍ଷେ ଜନ୍ମ ନର୍କେ ପଡ଼ିଥିବେ ।୨।

ଭାବ ଭକତିରେ ଯେଉଁମାନେ ଥିବେ ମୁକ୍ତିପଦ ତାଙ୍କୁ ନିଶ୍ଚେ ଦେବି ।

ବନେ ବା ଭୁବନେ ଯେ ଯହିଁରେ ଥାଉ, ଅବଶ୍ୟ ଉଦ୍ଧାର କରିନେବି ।

ଫେଡ଼ି କହୁଛି ଯେ ।

ପ୍ରକୃତି ପ୍ରଳୟ ଦେବି କାଟି ।

ନିଶ୍ଚୟ କହୁଛି ମହୀମଣ୍ଡଳେ କରାଇବି ସତ୍ୟ ସାଧୁ ଗୋଷ୍ଠୀ ।୩।

ଧର୍ମଧାରା ଛାଡ଼ି ଅଧର୍ମରେ ପଡ଼ି ହେଉଛନ୍ତି ପ୍ରାଣୀ ଉନମତ୍ତ ।

ଦେବଦେବୀ ତୀର୍ଥବ୍ରତେ ଦଗ୍‌ଧା ହୋଇ ଚିହ୍ନି ନ ପାରିଲେ ସାଧୁସନ୍ଥ ।

ଥୟ କରିଣ ଯେ ।

ତତ୍ତ୍ୱ ନ ଭଜିଲେ ନିଜ ନାମ ।

ଅବଶ୍ୟ ତାହାଙ୍କୁ ଲୁହା ଶିକୁଳିରେ ବାନ୍ଧିକରି ଦଣ୍ଡ ଦେବ ଯମ ।୪।

 

ଭାବାର୍ଥ- (୧-୪) କ୍ଷମାସାଗର ଶ୍ରୀଗୁରୁ ଭକ୍ତମାନଙ୍କୁ ଆଶ୍ୱାସନା ଦେଇ କହୁଛନ୍ତି- ହେ ଭକ୍ତବୃନ୍ଦ, ମନ ମଧ୍ୟରେ ଆଶଙ୍କାଦି ଚିନ୍ତା କରନାହିଁ । ଏହିଥର ବ୍ରହ୍ମାଣ୍ଡର ଭାରାକୁ ଉଶ୍ୱାସିବି । ଜ୍ଞାନ ସତ୍ୟ କଥାକୁ ଅଣହେଳା କର ନାହିଁ । ସତ୍ୟ, ଧର୍ମକୁ ବିକୃତ ବିଚାରିବା ଅମାନବିକ କାର୍ଯ୍ୟ । ଏହା ନିଆଁ ଗିଳିବା ସହିତ ସମାନ । ଏମିତି କାର୍ଯ୍ୟ କରି ଏ ଧରାପୃଷ୍ଠରେ କିଏ ବର୍ତ୍ତିପାରିବ କି ? ହେ ଭକ୍ତବୃନ୍ଦ, ସଂସାର ଭିତରେ ସମସ୍ତଙ୍କ ଭିତରେ ଓ ସମାନ ଭାବରେ ନିଷ୍କାମ ଧର୍ମକୁ ସ୍ଥାପନା କରିଦେଲି । ଏଠାରେ ବଡ଼ ସାନ କେହି କାହାକୁ ମାନୁ ନାହାନ୍ତି । ସମସ୍ତେ ଧର୍ମ, ସତ୍ୟକୁ ବଳି ଯାଉଛନ୍ତି । ଯେଉଁମାନେ ଧର୍ମକୁ ନ ମାନିବେ, ସଂସାର ଆଖିରେ ସେମାନେ ଛୋଟ ହୋଇଯିବେ । ଜଗତରେ ତାଙ୍କ ମହତ ସରିଯିବ ବା ସେମାନେ ହୀନ ହେବେ । ଲକ୍ଷ ଜନ୍ମ ଯାଏଁ ନର୍କରେ ପଡ଼ିବେ-

ପ୍ରଭୁ ପୁଣି ଅଭୟବାଣୀ ପ୍ରଦାନ କରି କହୁଛନ୍ତି- ହେ ଭକ୍ତ, ଭାବଭକ୍ତିରେ ଯେଉଁମାନେ ଥିବେ, ସେମାନଙ୍କୁ ମୁଁ ନିଶ୍ଚୟ ମୁକ୍ତିପଦ ପ୍ରଦାନ କରିବି । ବଣ ହେଉ ବା ଘର-ଯିଏ ଯେଉଁଠାରେ ଥାଉ, ତାକୁ ଅବଶ୍ୟ ଉଦ୍ଧାର କରିବି । ମୁଁ ସତ୍ୟ କରି କହୁଛି, ପ୍ରକୃତିର ପ୍ରଳୟକୁ ବିନାଶ କରିବି । ଏ ମହୀମଣ୍ଡଳରେ ସତ୍ୟ ପ୍ରତିଷ୍ଠା କରାଇବି, ସାଧୁଗୋଷ୍ଠୀଙ୍କୁ ସଂସ୍ଥାପନା କରିବି । ମନୁଷ୍ୟ ଧର୍ମଧାରା ଛାଡ଼ି ଅଧର୍ମ ପଥରେ ଚାଲିଛି । ବେଳକୁ ବେଳ ଉନ୍ମତ୍ତ ହେଉଛି । ଦେବଦେବୀ ତୀର୍ଥ ବ୍ରତରେ ଦଗ୍‍ଧ ହୋଇ ସାଧୁସନ୍ଥଙ୍କୁ ଚିହ୍ନି ପାରିଲେ ନାହିଁ । ନିଜ ନାମର ତତ୍ତ୍ୱ ବୁଝି ପାରିଲେ ନାହିଁ, ଅବଶ୍ୟ ଯମ ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ଦଣ୍ଡ ଦେବ ।

ଢଳି ପଡ଼ିବେଟି ଢମ ଢମାଳିଆ, ଜ୍ଞାନ କଥା ତାଙ୍କୁ ନାହିଁ ଜଣା ।

ଡାକି କହୁଛନ୍ତି ଏ ମହୀମଣ୍ଡଳେ, ଚକ୍ଷୁ ଥାଉ ସର୍ବେ ହେଲେ କଣା ।

ଠିକ କଥାକୁ ଯେ ।

ଟିଆକୁ ଯେ ଟାକିଥିବ ରହି ।

ନିଦାନ କହୁଛି ବ୍ରହ୍ମାଣ୍ଡ ଭିତରେ ସତ୍ୟ ଯୁଗକୁ ବିହନ ସେହି ।୫।

ଝାଡ଼ ମଧ୍ୟେ ବତି ଜାଳି ଦିବା ରାତି, ଉଜ୍ଜ୍ୱଳ କରାଉଅଛି ମହୀ ।

ଜୀବନକୁ ଆଶା ଅଛି ଯା ବିଶ୍ୱାସ, ଭଜୁଥାଅ ପିଣ୍ଡ ପ୍ରାଣ ଦେଇ ।

ଛଛନ୍ଦ୍ରର ଯେ ।

ଚାରିଯୁଗ ଭକ୍ତ ହେବେ ରୁଣ୍ଡ

ଉଦେଠାରୁ ଅସ୍ତ ପରିଯନ୍ତେ ପୁଣି ନୂଆରି ହୋଇବ ଏ ବ୍ରହ୍ମାଣ୍ଡ ।୬।

ଘୋଟିବେ ଧରଣୀ ଭକ୍ତକୁଳ ଶ୍ରେଣୀ ଅଭକ୍ତିରେ ଜଣେ ହେଁ ନଥିବେ ।

ଗାଈ ଗୋରୁ ପଲ ହେବେ ଅପ୍ରବଳ, ଘୃତ ଧ୍ୱନି କୁଣ୍ଡ ପୂରାଇବେ ।

ଖାଇ ପିଇଣ ଯେ ।

କରୁଥିବେ ଭକ୍ତେ ନୃତ୍ୟ ଗାନ ।

କହେ ଜଇ ହୀନ ଶ୍ରୀମୁଖ ବଚନ ତ୍ରିକାଳରେ କେଭେ ନୁହେଁ ଆନ ।୭।

 

ଭାବାର୍ଥ- (୫-୭) ଯେଉଁମାନେ ଅଜ୍ଞାନ, ଅହଙ୍କାରୀ, ଢମାଳିଆ ସେମାନେ ଢଳି ପଡ଼ିବେ, ଅର୍ଥାତ୍ ନାଶ ଯିବେ । ଆଖିଥାଇ ବି ସଂସାରରେ ଏହିଭଳି ଲୋକସବୁ ଅନ୍ଧ ହୋଇଯାଇଛନ୍ତି । ଯିଏ ସବୁ କଥାକୁ ଜଗି ରହିଥିବ, ଧର୍ମ, ସତ୍ୟ ପଥରେ ଚାଲୁଥିବ, ସେ ନିଶ୍ଚିତ ଭାବେ ସତ୍ୟଯୁଗ ପାଇଁ ଉପଯୁକ୍ତ । ଝାଡ଼ (ବଣ) ମଧ୍ୟରେ ଦୀପଜାଳି ଦିନରାତି ଉଜ୍ଜ୍ୱଳ କରାଉଛି । ଜୀବନ ଉପରେ ଯାହାର ଆଶା, ବିଶ୍ୱାସ ଅଛି, ସେ ସର୍ବଦା ମନଧ୍ୟାନ ଦେଇ ଭଜୁଥିବ । ।

 

ହେ ଭକ୍ତ, ଚାରିଯୁଗରେ ଭକ୍ତମାନେ ରୁଣ୍ଡ ହେବେ । ସୂର୍ଯ୍ୟ ଉଦୟ ଠାରୁ ଅସ୍ତଯାଏଁ ବ୍ରହ୍ମାଣ୍ଡ ପୁଣି ନୂଆ ଭାବରେ ଜାଗି ଉଠିବ । ଭକ୍ତମାନେ ପୃଥିବୀରେ ଏକତ୍ର ହେବେ, ସଭିଙ୍କ ମନରେ ଧର୍ମ ଭକ୍ତି ଭାବ ବିରାଜମାନ କରିବ । ଜଣକ ହୃଦୟରେ ମଧ୍ୟ ଅଭକ୍ତି ଭାବ ରହିବନି । ଗାଈଗୋରୁ ପ୍ରବଳ ହେବେ, ଘୃତ ଧୂନିକୁଣ୍ଡ ପୂରାଇବେ । ଭକ୍ତମାନେ ଆନନ୍ଦରେ ଖାଇପିଇ ନାଚ ଗୀତରେ ମଜି ରହିବେ । ଶ୍ରୀମୁଖ ନିଃସୃତ ବଚନ କେବେ ହେଲେ ବୃଥା ହେବ ନାହିଁ- ଏହା ଜୟ ହୀନ କହିଲେ ।

Image